Unknown

 

 

 

 

 

 

 

 

 

ସଜନୀ ଚଉତିଶା

କାଶୀନାଥ କର

 

କୁଞ୍ଜେ ତନ୍ତିପା କୁମାରୀ କହନ୍ତି ଶ୍ରୀମତି କରକୁ ଧରି ଯେ

କିଁପା ନଇଲେ କୁଞ୍ଜବିହାରୀ,ସଜନୀ ଗୋ ।୧।

 

କ୍ଷୀଣ ହେଲା ଏବେ ତନୁ, ଖଣ୍ଡିଗଲେ ସୁଖ ନନ୍ଦର ସୂନୁ ଯେ

ଖୀନ୍ନ ନଳିନ ନ ଦେଖି ଭାନୁ,ସଜନୀ ଗୋ ।୨।

 

ଗଲାଦିନୁ ବଂଶୀଧାରୀ, ଗୁଣ ଗୁଣି ତନୁ ହେଉଛି ଘାରି ଯେ

ଗଙ୍ଗାଧରରିପୁ ଦେଲା ସାରି,ସଜନୀ ଗୋ ।୩।

 

ଘନବରନ ସୁନ୍ଦର,       ଘର କଲେ ଯାଇ ମଥୁରାପୁର ଯେ

ଘାଣ୍ଟି ହେଉଛି ଆମ୍ଭ ଶରୀର,ସଜନୀ ରେ ।୪।

 

ଉମାକାନ୍ତ-ରିପୁ-ପିତା, ଉନ୍ନତ କରିଲେ ଗୋପୀଙ୍କ ଚିନ୍ତା ଯେ

ଉରେ ଲିହିଦେଲେ କୂଟଚିନ୍ତା,ସଜନୀ ରେ ।୫।

 

ଚିନ୍ତାମଣି ଚିନ୍ତା ଦେଲେ, ଚିନ୍ତାମଣି ଦେଇ ମଥୁରା ଗଲେ ଯେ

ଚାରିଦିନେ ଆସିବୁ ବୋଇଲେ,ସଜନୀ ଗୋ ।୬।

 

ଛଇଳ ନାଗର କାହ୍ନୁ, ଛନ୍ନେହେଁ ପାସୋର ନଯାଏ ମନୁ ଯେ

ଛିନ୍ନ ମୋ ଭୃଙ୍ଗ ଯେହ୍ନେ ବିନୁ,ସଜନୀ ଗୋ ।୭।

 

ଜାମଳା-ଭଞ୍ଜା ଗୋପାଳ, ଜଡ଼ିଆଇ ଚୂଳେ କେତକୀ ଫୁଲ ଯେ

ଜାମୁଡାଳ ତହିଁକି ମଞ୍ଜୁଳ,ସଜନୀ ଗୋ ।୮।

 

ଝୁରୁଛି ସେ ଶୋଭାବନ, ଝାମ୍ପଦିଏ କି ଚପଳା ଗଗନ ଯେ

ଝମ ଝମ କରଇ ନୟନ,ସଜନୀ ରେ ।୯।

 

ନିକୁଞ୍ଜ କୁଞ୍ଜେ ରହିଣ, ନିକୁଞ୍ଜ ଘାଟ ମାଗନ୍ତି ମୋହନ ଯେ

ନିତ୍ୟେ ଚିନ୍ତି ନ ସରଇ ଦିନ,ସଜନୀ ଗୋ ।୧୦।

 

ଟେକି ଗୋବର୍ଦ୍ଧନ ଗିରି, ଟାଣପଣ କରି ଗୋପର ଶିରୀ ଯେ

ଟାଣେ ଶଚିପତି ଗଲା ହାରି,ସଜନୀ ଗୋ ।୧୧।

 

ଠାକୁର ସେ ବନମାଳୀ, ଠୁଳ ଚୂଳେ ଶୋଭାପାଏ ନିଆଳି ଯେ

ଠିକେ କାଶୀ କର ମନେ ଭାଳି, ସଜନୀ ଗୋ ।୧୨।

 

ଡେରିଥାଉ କର୍ଣ୍ଣ ବେନି, ଡାକଇ ଯେଣିକି ମୂରଲୀ ଧ୍ୱନି ଯେ

ଡରେ ଯେହ୍ନେ ଘଉଡ଼ା ହରିଣୀ,ସଜନୀ ଗୋ ।୧୩।

 

ଢମାଳିଆ ନନ୍ଦ କାହ୍ନୁ, ଢଳି ନାଚେ ଧରି ମୋହନବେଣୁ ଯେ

ଢାଳେ ପାସୋରା ନଯାଏ ମନୁ,ସଜନୀ ଗୋ ।୧୪।

 

ଆହୁରି ଆଶା ଲଗାଇ, ଆସିବୁ ବୋଲି ଗଲେ ଆଶା ଦେଇ ଯେ

ଆଶା ଲାଗି କ୍ଷୀଣ ଗୋପଗୋଈ,ସଜନୀ ଗୋ ।୧୫।

 

ତରଳ ବାଙ୍କଚାହାଣୀ, ତ୍ରିଲୋକ୍ୟ ମୋହଇ ସେ ବେନୁପାଣି ଯେ

ସ୍ତିରୀ ମାତ୍ର କେଉଁ ଛାର ପୁଣି,ସଜନୀ ରେ ।୧୬।

 

ଥୟ ନୋହେ ପଞ୍ଚମନ, ଥରାଏ ଧଇର୍ଯ୍ୟ ମୀନକେତନ ଯେ

ଥରେ ଶୁଣିଲେ ମୂରଲୀସ୍ୱନ,ସଜନୀ ରେ ।୧୭।

 

ଦମ୍ଭ ରଖିଛୁ ଆମ୍ଭର, ଦିଗଦ୍ୱିଗୁଣେ ନାଶିବୁ ଶରୀର ଯେ

ଦୟା ନ କଲେ ଭାର୍ଗବୀବର,ସଜନୀ ରେ ।୧୮।

 

ଧରିନେଲା ଦଣ୍ଡଧାରୀ, ଧ୍ରୁବ ମୁଁ କହୁଛି ଶୁଣ ସୁନ୍ଦରୀ ଗୋ

ଧୀରେ ପାଇଲେ ମଧୁନାଗରୀ,ସଜନୀ ରେ ।୧୯।

 

ନାଗର ନନ୍ଦକୁମର, ନାଗରରଙ୍ଗିଆ କେଡ଼େ ମଧୁର ଗୋ

ନାରୀ ମୋହିବାର କେଉଁ ଛାର,ସଜନୀ ଗୋ ।୨୦।

 

ପଦ୍ମ ଥାଇ ପଦ୍ମକରେ, ପଦ୍ମ ଥାଇ ପଦ୍ମ ପଦ୍ମିନୀ କରେ ଗୋ

ପଦ୍ମମୁଖ ପାସୋରି ରହିଲେସଜନୀ ଗୋ ।୨୧।

 

ଫାଟିଯାଏ ହିଆ-ମନ, ଫାନ୍ଦେ ପକାଇଲା ମୀନକେତନ ଯେ

ଫୁଲମାଳିଆ କଲାରୁ ଭିନ୍ନ,ସଜନୀ ରେ ।୨୨।

 

ବୃନ୍ଦାବନିଆ ଶ୍ରୀଧର, ବୃନ୍ଦାବତୀ ଘେନି କଲେ ଅନ୍ତର ଯେ

ବନେ କଲେକ ଯେତେ ପ୍ରକାରସଜନୀ ଗୋ ।୨୩।

 

ଭକତ ଜନ କାନ୍ଦିବ, ଭୃତ୍ୟଠାରେ ଯେତେ ସୁଦୟା ଥିବ ଯେ

ଭଲେ କାଶୀ କରକୁ ତାରିବ,ସଜନୀ ଗୋ ।୨୪।

 

ମୁକୁନ୍ଦ ମାଧବ ହରି, ମାରିଦେଇ ଗଲେ ବ୍ରଜନାଗରୀ ଯେ

ମଧୁପୁରେ ରହିଲେ ବିହରି,ସଜନୀ ଗୋ ।୨୫।

 

ଜଗତ-ଜନମୋହନା, ଯଶୋଦା ନନ୍ଦର ନାଗର କାହ୍ନା ଯେ

ଯୁବା ଯୁବତୀ-ଜୀବନଘେନା,ସଜନୀ ରେ ।୨୬।

 

ରାହାସରଙ୍ଗିଆ ହରି, ରହିଲେ ଯେ ଦିନ ମଥୁରାପୁରୀ ଯେ

ରହେ ଦେବତୀର୍ଥ ବସୁନ୍ଧରୀ,ସଜନୀ ରେ ।୨୭।

 

ଲକ୍ଷ୍ମୀବଲ୍ଲଭ ପୟରେ, ଲୟ ଲଗାଅ ଦିବା-ରଜନୀରେ ଯେ

ଲତାସୂତ୍ର ଯେସନେ ବିହରେ,ସଜନୀ ରେ ।୨୮।

 

ବନଜ ନିଦ୍ରା ସମୟେ, ବେନି କରନ୍ତି ବାହୁଡ଼ାବିଜୟେ ଯେ

ବେଢ଼ି ଶୋଭାପାନ୍ତି ବ୍ରଜପୋଏ,ସଜନୀ ରେ ।୨୯।

 

ସଖୀଙ୍କି ଚାହିଁ ଶ୍ରୀମତୀ, ଶୁଣାନ୍ତି କୃଷ୍ଣଙ୍କ ଗୁଣ କୀରତି ଯେ

ଶୁଣି ଖଣ୍ଡୁ ଅଶେଷ ଦୁର୍ଗତି,ସଜନୀ ରେ ।୩୦।

 

ଶୁଣ ଗୋ ସଖୀ ବୋଇଲେ, ଶ୍ରୀକୃଷ୍ଣ ଆସିବେ କି ନାହିଁ ଭଲେ ଯେ

ସୁଧାପାନ କରବା ନିଶ୍ଚଳେ,ସଜନୀ ରେ ।୩୧।

 

ଶ୍ରୀକୃଷ୍ଣ ପଦ୍ମପାଦରେ, ସୁଜନେ ଚିତ୍ତ ରଖ ନିରନ୍ତରେ ଯେ

ସୁଖେ ତରିବ ଭବସାଗରେ,ସଜନୀ ରେ ।୩୨।

 

ହରିଗୁଣମାନ ଗୁଣି, ହରଷେ ରହିଲେ ମନମୋହିନୀ ଯେ

ହରି ଖଣ୍ଡିବେ ଦୁର୍ଗତି ପୁଣି,ସଜନୀ ରେ ।୩୩।

 

କ୍ଷମାନିଧି ପାଦେ ହରି, କ୍ଷିତି ମଧ୍ୟେ ଯଶ ରହିବ ପୂରି ଯେ

କାଶୀ କରକୁ ଦେବେ ଉଦ୍ଧାରି,ସଜନୀ ରେ ।୩୪।

 

ଭାବାର୍ଥ - (୧-୧୦) କୁଞ୍ଜ ମଧ୍ୟରେ ଶ୍ରୀରାଧା ସଜନୀର ହାତକୁ ଧରି ପଚାରିଲେ ଲୋ ସଜନୀ, କୃଷ୍ଣ କାହିକି ଆସିଲେ ନାହିଁ ? ଏବେ ମୋ ଦେହ କ୍ଷୀଣ ହୋଇଗଲାଣି । - ମୋ ସୁଖକୁ ନଷ୍ଟ କରିଦେଲେ । ସୂର୍ଯ୍ୟ ବିନା ପଦ୍ମର ଯେମିତି ଅବସ୍ଥା, ମୋ ଅବସ୍ଥା ସେମିତି ହେଲାଣି । କ୍ଷୀଣ ହୋଇଯାଉଛି । ଲୋ ସଜନୀ ବଂଶୀଧାରୀ କୃଷ୍ଣ ମଥୁରା ଗଲା ଦିନଠୁ ତାଙ୍କ ଗୁଣ ସର୍ବଦା ଗୁଣି ହେଉଛି । ଦେହ ଘାରି ହେଉଛି । କନ୍ଦର୍ପ କଲବଲ କରୁଛି । ଲୋ ସଜନୀ ଘନବର୍ଣ୍ଣ ସୁନ୍ଦର କୃଷ୍ଣ ମଥୁରାପୁରକୁ ଘର କରିଦେଲେ । ଆମ ଶରୀର ସର୍ବଦା ଘାଣ୍ଟି ହେଉଛି । କୃଷ୍ଣ ଗୋପୀମାନଙ୍କ ଚିନ୍ତା ବଢ଼ାଇ ଛାତିରେ କୂଟଚିନ୍ତା ଭରିଦେଲେ ।

 

ଲୋ ସଜନି, ଚିନ୍ତାମଣି କୃଷ୍ଣ ଆମକୁ ଚିନ୍ତା ଦେଲେ । ତେଣେ ଚିନ୍ତାମଣି ଦେଇ ମଥୁରା ଚାଲିଗଲେ । ଚାରିଦିନ ମଧ୍ୟରେ ଆସିବାବୁ କହିଲେ ଅଥଚ ଏ ପର୍ଯ୍ୟନ୍ତ ତାଙ୍କର ଦେଖାନାହିଁ । ଛଇଳ ନାଗର କାହ୍ନୁ । ଅନିନ୍ଦ୍ୟ ତାଙ୍କର ରୂପ । ମନ ମଧ୍ୟରୁ କ୍ଷଣିକ ପାଇଁ ମଧ୍ୟ ପାସୋର ଯାଉନାହିଁ-। ଲୋ ସଜନି, ଯାମଳା ବୃକ୍ଷ ଭଙ୍ଗା ଗୋପାଳ, ଚୂଳରେ ତାଙ୍କର କେତକୀ ଫୁଲ, ସେଥିରେ ପୁଣି ଜାମୁଡ଼ାଳ । ଅତି ସୁନ୍ଦର ଦେଖାଯାଉଛି । କଳା ଆକାଶରେ ବିଜୁଳି ଝଲକ ଯେମିତି, ତାଙ୍କ ଅଙ୍ଗରେ ପୀତବସନ ସେମିତି ଶୋଭା ପାଉଛି । ସେ ଶୋଭା ଦେଖି ମନ ମୋହିତ ହୋଇଯାଉଛି । ଚକ୍ଷୁ ଝାମଝମ କରୁଛି । ଲୋ ସଜନୀ, ନିକୁଞ୍ଜ କୁଞ୍ଜରେ ରହି କୃଷ୍ଣ ସର୍ବଦା ଘାଟ ମାଗନ୍ତି, ତାଙ୍କୁ ନିତି ଚିନ୍ତା ନ କଲେ ଦିନ ସରୁନାହିଁ ।

 

ଭାବାର୍ଥ (୧୧-୨୦) ଗୋପର ଶିରୀ ରଖିବା ପାଇଁ ଟାଣପଣରେ କୃଷ୍ଣ ଗିରି ଗୋବର୍ଦ୍ଧନକୁ ଟେକି ଧରିଲେ । ଏହା ଦେଖି ଇନ୍ଦ୍ର ଲାଜରେ ପଳାଇଲେ । ଲୋ ସଜନ, ସେ ବନମାଳୀ ଠାକୁର । ତାଙ୍କ ଚୂଳରେ ନିଆଳି ଫୁଲ ଶୋଭା ପାଉଥାଏ । ଏ କଥାକୁ ମନରେ ଭାଳ । ମୂରଲୀ ଧ୍ୱନି ବାଜିଲେ, ସେ ଆଡ଼କୁ ଆମ କାନ ଡେରି ହୋଇଥାଏ । ଘଉଡ଼ା ହରିଣୀ ଯେମିତି ଡରିଥାଏ, ବଂଶୀ ବାଜିଲେ ସେମିତି ଆମ ଅବସ୍ଥା ହୁଏ । ଲୋ ସଜନୀ, ନନ୍ଦ କାହ୍ନୁ ବଡ଼ ଢମାଳିଆ (ପରିହାସରେ କଥା କହେ) । ହାତରେ ମୋହନ ବଂଶୀ ଧରି ଢଳି ଢଳି ନାଚୁଥା’ନ୍ତି । ସେ ମନୋହର ଦୃଶ୍ୟ ମନରୁ ପାସୋର ଯାଉନାହିଁ ।

 

ଲୋ ସଜନି, ଆମ ମନ ଭିତରେ ଆହୁରି ଆଶା ଲଗାଇବାକୁ, ଆସିବୁ ବୋଲି କହି ଚାଲିଗଲେ । ତାଙ୍କୁ ଆଶ କରି ଗୋପନାରୀମାନେ କ୍ଷୀଣ ହୋଇଗଲେଣି । କୃଷ୍ଣଙ୍କର ତରଳ ବାଙ୍କ ଚାହାଁଣି ବଂଶୀଧାରୀଙ୍କ ସେ ଶୋଭା ତିନିଲୋକକୁ ମୋହିତ କରୁଛି । ଛାର ସ୍ତ୍ରୀ ଲୋକ ଆମେ । କୃଷ୍ଣଙ୍କର ସେ ମଧୁର ମୁରଲୀ ଥରୁଟିଏ ଶୁଣିଲେ ପଞ୍ଚମନ ଥୟ ରହିପାରୁନାହିଁ । କନ୍ଦର୍ପ ମୋର ଧୈର୍ଯ୍ୟକୁ ଥରାଇ ଦେଉଛି । ଲୋ ସଜନି, ଏତେବେଳେ ଯାଏଁ ତାଙ୍କ ଆସିବା ପଥକୁ ଚାହିଁ ରହିଛି । ପ୍ରଭୁ ଯଦି ଦୟା ନ କରିବେ, ତେବେ ଏ ଶରୀରକୁ ନାଶ କରି ଦେବୁ । ଲୋ ସଜନି, ମୁଁ ଯାହା କହୁଛି ଶୁଣ, ଏହା ନିଶ୍ଚିତ । କଂସ ରାଜା ସିନା ତାଙ୍କୁ ଧରିନେଲା, ସେ ମଧୁପୁର ନାଗରୀଙ୍କ ମେଳ ପାଇ ରହିଯାଇଛନ୍ତି । ଲୋ ସଜନି, ନନ୍ଦସୁତ ନାଗର ଶ୍ରେଷ୍ଠ ସେ । ନାଗର ରଙ୍ଗିଆ ପଣରେ ବଡ଼ ମଧୁର । ତାଙ୍କ ପକ୍ଷରେ ନାରୀକୁ ମୋହିବାଟା କି ଅବା ଛାର କଥା ?

 

ଭାବାର୍ଥ - (୨୧-୨୮) ଲୋ ସଜନି, କୃଷ୍ଣଙ୍କ ପଦ୍ମକରରେ ସର୍ବଦା ପଦ୍ମ ଥାଏ । ସେ ଏବେ ମଥୁରାପୁରରେ ପଦ୍ମିନୀ କନ୍ୟାଙ୍କ ଗହଣରେ ରହିଛନ୍ତି । ଲୋ ସଜନି, ପଦ୍ମମୁଖ କୃଷ୍ଣ ଆମକୁ ପାସୋରି ଦେଲେ । ତାଙ୍କ ବିହୁନରେ ଛାତି, ମନ ସବୁ ଫାଟି ଯାଉଛି । ଫୁଲମାଳିଆ କୃଷ୍ଣ ଆମ ଠାରୁ ଭିନ୍ନ ହେବାରୁ କନ୍ଦର୍ପ ଆମକୁ କଲବଲ କରୁଛି । ବୃନ୍ଦାବନିଆ ଶ୍ରୀଧର, ବନରେ ଯେତେ ପ୍ରକାର ଲୀଳା କରିଛନ୍ତି, ତାହା ମନରୁ ପାସୋର ହେଉନାହିଁ । ଲୋ ସଜନି, ଭୃତ୍ୟଠାରେ ଯଦି ପ୍ରଭୁଙ୍କ ସୁଦୟା ଥିବ, ତେବେ କବି କାଶୀନାଥ କରଙ୍କୁ ତାରିବେ । ପ୍ରଭୁ ଦୟା ନ କଲେ ଭକ୍ତଜନମାନେ କାନ୍ଦିବେ ।

ଲୋ ସଜନି, ମୁକୁନ୍ଦ ମାଧବ ହରି କୃଷ୍ଣ, ବ୍ରଜନାଗରୀମାନଙ୍କୁ ମାରିଦେଇ ମଥୁରାପୁରରେ ଯାଇ ରହିଲେ । ଜଗତଜନ ମୋହନା, ଯଶୋଦାମାତାଙ୍କ ଗେହ୍ଲାପୁଅ କାହ୍ମା । ଯୁବା ଯୁବତୀର ଜୀବନ ଘେନା ସେ । ଲୋ ସଜନି, କୃଷ୍ଣ ରାହାସ ରଙ୍ଗିଆ, ସେ ଯେଉଁ ଦିନ ମଥୁରାପୁରରେ ରହିଲେ, ଦେବତୀର୍ଥ ବସୁନ୍ଧରୀ ବି ରହିଗଲେ । ଲୋ ସଜନି, ଲତାତନ୍ତୁ ଯେମିତି ସର୍ବଦା ଗୋଡ଼ାଇ ହୋଇ ବୁଲୁଥାଏ, ସେମିତି ଦିନରାତି ପ୍ରଭୁଙ୍କ ପାଦତଳେ ଲୟ ଲଗାଇ ସେବା କର ।

 

ଭାବାର୍ଥ - (୨୯-୩୪) ଲୋ ସଜନି, ବନଜ (ପଦ୍ମ) ନିଦ୍ରା ସମୟେ ଅର୍ଥାତ୍ ରାତ୍ରି ସମୟରେ ଦୁହେଁ ବାହୁଡ଼ା ବିଜେ କରନ୍ତି, ବ୍ରଜପୁଅ କୃଷ୍ଣ ଅତି ଶୋଭା ଦିଶୁଅଛି । ସଖୀଙ୍କୁ ଚାହିଁ ରାଧା କୃଷ୍ଣଙ୍କ ଗୁଣାବଳୀ, କୀର୍ତ୍ତି ଶୁଣାଇଲେ । ଏହାକୁ ଶୁଣିଲେ ଦୁଃଖ, ଦୁର୍ଗତି ନାଶଯିବ । ହେ ସଖି ଶୁଣ, ଶ୍ରୀକୃଷ୍ଣ ଭଲରେ ଆସିବେ କି ନାହିଁ କୁହ । ସେ ଆସିଲେ ନିଶ୍ଚଳରେ ବସି ସୁଧାପାନ କରିବା-। ହେ ସୁଜନେ, ଶ୍ରୀକୃଷ୍ଣଙ୍କ ପଦ୍ମପାଦରେ ସର୍ବଦା ଚିତ୍ତ ରଖ । ହରି ତୁମର ଦୁର୍ଗତିକୁ ଖଣ୍ଡନ କରିବେ-। କ୍ଷମାନିଧିଙ୍କ ପାଦତଳେ ଶରଣ ପଶ । ଜଗତ ମଧ୍ୟରେ ପ୍ରଭୁଙ୍କ ଯଶ ପୂରି ରହିଛି । କାଶୀ କରକୁ ଉଦ୍ଧାର କରିବେ ।